Home > ରାଜ୍ୟ
ବଲାଙ୍ଗିରରେ କମିଛି ବର୍ଷା, ସୁଧୁରିଛି ବନ୍ୟା ସ୍ଥିତି
Khabar Odisha:state-odisha-balangir-flood-condition-is-under-control
ବଲାଙ୍ଗିର, ଅଗଷ୍ଟ ୧୪ (ଖବର ଓଡିଶା) :

 ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ଲଘୁଚାପ କାରଣରୁ  ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି। ଫଳରେ ଲଗାଣ ବର୍ଷା ଯୋଗୁଁ ଗତକାଲି ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାଦ୍ବାରା ୨୦୦ ପରିବାର ଜଳବନ୍ଦୀ ହୋଇଥିଲେ। ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି ଜମି ରହିଥିଲା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଆଜି ବର୍ଷା ଛାଡିବା କାରଣରୁ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ହୋଇଛି ।  

ବଲାଙ୍ଗିର ଜିଲ୍ଲାରେ ଆଜି ବର୍ଷା ଛାଡିଛି । ଫଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ହୋଇଛି । ଗତକାଲି ମୁଶଳ ଧାରାରେ ବର୍ଷା ହେଉଥିବା କାରଣରୁ ସହରର ଅଧିକାଂଶ ରାସ୍ତା ଓ ପୋଲ ଧୋଇ ଯାଇଥିଲା । ଫଳରେ ଅନେକ ସ୍ଥାନରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ୨ଦିନ ଧରି ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିଲେ । ଆଜି ବର୍ଷା ଛାଡିଥିବା କାରଣରୁ ଧୀରେଧୀରେ ସ୍ଥିତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି । 

ଉଲ୍ଲେଖଯୋଗ୍ୟ,  ଲଗାଣ ବର୍ଷା ଯୋଗୁଁ ଖଡଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ନଦୀ ପାଣି ଗୁଡଭେଲା ବ୍ଲକର ତିଲିକିମାଳ ଓ ଧରୁଆପଡ଼ା ଗାଁରେ ପଶିଥିଲା। ଏଥିରେ ୨୦୦ ପରିବାର ଜଳବନ୍ଦୀ ଥିଲେ । ଫଳରେ ଅଗ୍ନିଶମ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର କାମ ଜାରି କରାଯାଇଥିଲା। ଗତକାଲି ତିଲ୍‌କାମାଲ ଗାଁରେ ଜିଲ୍ଲାପାଳ, ଗୁଡ୍‌ଭେଲା BDO ଓ ତୁଷରା ତହସିଲଦାର ପହଞ୍ଚି ସେଠାରେ ସ୍ଥିତି ସମୀକ୍ଷା କରିଥିଲେ। ୨ଟି ବୋଟ୍‌ ସାହାଯ୍ୟରେ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଖଡ଼ଙ୍ଗ ନଦୀର ବନ୍ୟାରେ ଗମ୍ଭାରୀଗୁଡ଼ା ପଞ୍ଚାୟତର ରାକ୍ସିଭଟା, ଗଭାରତା, ସିକଲପଦର, ଧନପୁର, ଲାଠିତରା, ବେଲଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।