Home > ରାଜ୍ୟ
ବିଜେପୁର ଲଢେଇ ପାଇଁ କଂଗ୍ରେସ ପ୍ରସ୍ତୁତ, ୨୪ କିମ୍ବା ୨୫ରେ ପ୍ରାର୍ଥୀ ଚୟନ- ନିରଂଜନ
Khabar Odisha:state-odisha-politics-congress-is-ready-for-bijepur-by-election
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡିଶା):

ବିଜେପୁର ଉପ ନିର୍ବାଚନ ପାଇଁ ବିଗୁଲ ବାଜିବା ମାତ୍ରେ ରାଜ୍ୟରେ  ବିଭିନ୍ନ ରାଜନୈତିକ ଦଳ ଚଳଚଂଚଳ ହୋଇପଡିଛନ୍ତି ।  ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ଏବେ ସଭିଙ୍କ ନଜର ପ୍ରାର୍ଥୀ ଚୟନ ଉପରେ ରହିଛି। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ  ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପୁର ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ୨୪ ଓ ୨୫ ତାରିଖରେ ହେବ। 

 ନିରଂଜନ କହିଛନ୍ତି ଯେ, ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି । କମିଟି ୨୪ ତାରିଖରେ ରିପୋର୍ଟ ଦେବ । ସେହିଦିନ ମିଟିଂ ହେବ । ମିଟିଂ ପରେ ସେହିଦିନ କିମ୍ବା ତା ପରଦିନ ପ୍ରାର୍ଥୀ ଚୟନ ହେବ । ବିଜେପୁର ପାଇଁ ଚାଷୀ ଓ ଜଳସେଚନ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି।

ଆଜି ବିଜେପୁର ଉପ ନିର୍ବାଚନ ପାଇଁ ବିଗୁଲ ବାଜିଛି । ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ମତଦାନ ହେବ । ଏଥିପାଇଁ ସେପ୍ଟେମ୍ବର ୨୩  ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଶନତ ଗରତିଆଙ୍କୁ ୫୩ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । କଂଗ୍ରେସ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିଥିଲା । ସେ ପ୍ରାୟ ୧୪ହଜାର ଭୋଟ ପାଇଥିଲେ ।  କିନ୍ତୁ ନବୀନ ହିଞ୍ଜିଳି ଆସନରୁ ମଧ୍ୟ ବିଧାୟକ ଥିଲେ । ତେଣୁ ତାଙ୍କୁ ବିଜେପୁର ଆସନ ଛାଡିବାକୁ ପଡିଥିଲା । ତେବେ ନବୀନ ବିଜେପୁର ଆସନ ଛାଡିବା ପରେ ଏଠାରେ ଉପ ନିର୍ବାଚନ ହେବା ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିଲା । କେବଳ ତାରିଖକୁ ଅପେକ୍ଷା ରହିଥିଲା ।