Home > ରାଜ୍ୟ
ଖୋଲିଲା ନର୍ସ ନିହାରିକାର ହତ୍ୟା ଗୁମର, ସ୍ଵୀକାର କଲା ରାଜା, ସେ ହିଁ ହତ୍ୟାକାରୀ
Khabar Odisha:state-odisha-reviled-niharika-murder-mystery-boyfriend-raja-murder
ଭୁବନେଶ୍ଵର, ସେପ୍ଟେମ୍ବର ୨୧ (ଖବର ଓଡିଶା) :

ଖୋଲିଲା ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାର ଗୁମର। ପ୍ରେସମିଟ୍ କରି ହତ୍ୟା ରହସ୍ୟ ଉନ୍ମୋଚନ କରିଛନ୍ତି ଜଗତସିଂହପୁର ଏସପି ଆର ପ୍ରକାଶ। ଅଭିଯୁକ୍ତ ବୟଫ୍ରେଣ୍ଡ ରାଜା ହିଁ ନିହାରିକାଙ୍କୁ ହତ୍ୟା କରିଛି। ବେରୋଜଗାର ଥିବା କାରଣରୁ ନିହାରିକା ତାଙ୍କୁ ବିବାହ କରିବାକୁ ଚାହୁଁ ନଥିଲା। ଏଥିପାଇଁ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ତେଣୁ ରାଜା ଉତ୍ତ୍ୟକ୍ତ ଅବସ୍ଥାରେ ନିହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ନିଜେ ଅଭିଯୁକ୍ତ ସ୍ଵୀକାର କରିଛି। 

ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହତ୍ୟାକାଣ୍ଡ

ଜଗତସିଂହପୁର ଏସପିଙ୍କ କହିବା ମୁତାବକ, ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନର୍ସ ନିହାରିକାଙ୍କ ହତ୍ୟାକାଣ୍ଡ ଘଟିଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଏହି ହତ୍ୟାକାଣ୍ଡ ଘଟାଇଛି। ରାଜା ବେରୋଜଗାର ଥିଲା ଏବଂ ନର୍ସ ଭାବେ ନିଜେ କମ୍ ଦରମା ପାଉଥିବା କାରଣରୁ ନିହାରିକା ତାଙ୍କୁ ବିବାହ କରିବାକୁ ଚାହୁଁ ନଥିଲା। ଏଥିପାଇଁ ବହୁ ସମୟରେ ଦୁହିଁଙ୍କ ମଧ୍ୟରେ କଳହ ହେଉଥିଲା। ବିବାହକୁ ନେଇ ପାରିବାରିକ କଳହ ମଧ୍ୟ ଲାଗି ରହୁଥିଲା। ଫଳରେ ବିବାହ ପାଇଁ ନିହାରିକା ରାଜାକୁ ମନା କରି ଦେଇଥିଲା। ଫଳରେ ରାଜା ନିହାରିକାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। 

ଏଭଳି କରିଥିଲା ହତ୍ୟା ଯୋଜନା

ଏସପି କହିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ହତ୍ୟା ଯୋଜନା ପାଇଁ ଗତ ସେପ୍ଟେମ୍ବର ୮ତାରିଖରେ ରାଜା ନିହାରିକାଙ୍କୁ କଟକ ଚାଉଳିଆଗଞ୍ଜ ସ୍ଥିତ ଅପର୍ଣ୍ଣା ନଗରରେ ଥିବା ନିଜ ବନ୍ଧୁ ସୁନୀଲ ସାହୁର ଭଡ଼ା ଘରକୁ ଡାକି ନେଇଥିଲା। ସୁନୀଲ ଠାରୁ ଚାବି ନେଇ ରାଜା ନିହାରିକାକୁ ଉକ୍ତ ଘରକୁ ୪ଟାରୁ ୪ଟା ୩୦ ମଧ୍ୟରେ ଆଣିଥିଲା। ଏହାପରେ ସେଠାରେ ପୁଣି ଥରେ ଦୁହିଁଙ୍କ ମଧ୍ୟରେ ବିବାହ ପ୍ରସଙ୍ଗକୁ ନେଇ ବଚସା ହୋଇଥିଲା। ଯାହା ଫଳରେ ରାଜା ଉତ୍ତ୍ୟକ୍ତ ହୋଇ ନିହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହିସବୁ ଘଟଣା ସାଢେ ୪ଟାରୁ ରାତି ପ୍ରାୟ ୮ଟା ମଧ୍ୟରେ ଘଟିଥିଲା। ନିହାରିହା ମୃତ୍ୟୁ ପରେ ରାଜା ଏକ ଅଖାରେ ମୃତ ଶରୀରରକୁ ଭର୍ତ୍ତି କରି ନିଜ ବାଇକ ଯୋଗେ ବିଲୁଆଖାଇ ନଦୀ ପଠାରେ ଫୋପାଡି ଦେଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ରାଜା ନିଜ ବନ୍ଧୁ ସୁନୀଲ ସାହୁ ନିକଟରେ ହତ୍ୟା ଘଟଣା ସ୍ଵୀକାର କରିଥିଲା। ହତ୍ୟା ପରେ ରାଜା ଫେରାର ହୋଇ ଯାଇଥିଲା। କାଲି ନିଜ ଗାଁକୁ ଫେରୁଥିବା ବେଳେ ତାକୁ ପୋଲିସ ଗିରଫ କରିଥିବା ଏସପି କହିଛନ୍ତି। ସାଙ୍ଗ ସୁନିଲ ସାହୁର କଲ ରେକର୍ଡ ଯାଞ୍ଚ କରାଯାଇଛି। ହତ୍ୟାରେ ସୁନିଲ ସାହୁର ବିଶେଷ ଭୂମିକା ନଥିବା ଜଣା ପଡ଼ିଛି। ତେବେ ଏହି ମାମଲାର ପୁଲିସ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ରାଜାକୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। 

୯ତାରିଖରୁ ଥିଲେ ନିଖୋଜ

ଖୋର୍ଦ୍ଧା ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳର ନର୍ସ ନିହାରିକା ଗତ ୮ତାରିଖରୁ ନିଖୋଜ ଥିଲେ। ସେ କଟକର ଏକ ନର୍ସଂହୋମରେ ନର୍ସ ଭାବରେ କାମ କରୁଥିଲେ। ସେ ନିଖୋଜ ଥିବାରୁ ଗତ ୯ତାରିଖରୁ କଟକ ମଧୁପାଟଣା ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ଗତ ୧୭ତାରିଖରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ବିଲୁଆ ଖାଇ ନଦୀ ପଠାରୁ ଏକ ଅଖା ଭିତରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ପରିବାର ଲୋକ ବୟଫ୍ରେଣ୍ଡ ରାଜାକୁ ସନ୍ଦେହ କରିଥିଲେ। ଫଳରେ ପୁଲିସ ରାଜା ଉପରେ ସନ୍ଦେହ ରଖି ତଦନ୍ତ ଚଳାଇଥିଲା।