Home > ମହିଳା
ପିଇଓ ସ୍ମିତାରାଣୀ ହତ୍ୟା ମାମଲା : ସିବିଆଇ ତଦନ୍ତ ଦାବି କଲେ ସ୍ଵାମୀ, ପ୍ରାଣ ଭୟରେ ଓଡିଶା ଛାଡିବେ କହିଲେ ପିତା
Khabar Odisha:state-crime-odisha-smitarani-murder-case-cbi-investigation-demand-smitas-husband
ଯାଜପୁର, ନଭେମ୍ବର ୦୧ (ଖବର ଓଡିଶା) :

ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ନୂଆ ମୋଡ। ସ୍ମିତାରାଣୀଙ୍କ ହତ୍ୟା ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ବିଜେପି ସନ୍ଦେହ କରୁଥିବା ବେଳେ ଜୀବନକୁ ଭୟ ରହିଛି ମୁଁ ପଳାୟନ କରିବି ବୋଲି ରୁଦ୍ଧ କଣ୍ଠରେ କହିଛନ୍ତି ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ଵାଳ। ସେହିପରି ରାଜନେତା କିମ୍ବା ପୋଲିସଙ୍କ ଠାରୁ ନ୍ୟାୟ ପାଇବାକୁ ଆଶ୍ଵାସନା ମିଳୁନି ତେଣୁ ପତ୍ନୀଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ସ୍ମିତାରାଣୀଙ୍କ ସ୍ଵାମୀ। 

ସେମାନେ ମୋତେ ମାରିଦେବେ- ସ୍ମିତାରାଣୀଙ୍କ ବାପା 

ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ସୁରକ୍ଷିତ ମଣୁ ନାହାଁନ୍ତି। ତେଣୁ ଓଡିଶା ଛାଡିଦେବେ ବୋଲି ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ଵାଳ କହିଛନ୍ତି। ସଦାନନ୍ଦ କହିଛନ୍ତି ଯେ, ମୋ ଉପରକୁ ଆକ୍ସନ ନେବା ପାଇଁ ସେମାନେ ତତ୍ପର। ବାହାର ଲୋକ ଲଗାଇ ସେମାନେ ବଦଲା ନେଇଯିବେ। ମୁଁ ନିଜକୁ ସୁରକ୍ଷିତ ମଣୁନି। ପୁଅମାନେ ମୁମ୍ଵାଇ ଓ ଦିଲ୍ଲୀରେ ରହୁଛନ୍ତି। ସେମାନଙ୍କ ପାଖକୁ ପଳେଇବି। ରାଜନେତା କିମ୍ବା ପୋଲିସ ଠାରୁ ନ୍ୟାୟ କି ଆଶ୍ଵାସନା ପାଉନି। ଆଜି କାଲି ଭିତରେ କେଉଁଦିନ ମୁଁ ପଳାଇ ଯାଇପାରେ। 

ବୃତ୍ତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରୁଛି ପୋଲିସ- ପ୍ରଦୀପ୍ତ ନାୟକ

ସେହିପରି ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଘଟଣାରେ ବିଜେଡି ନେତା ସଂପୃକ୍ତ ଥିବାରୁ ଚାପ ପକାଯାଉଛି। ଚାପ ପଡୁଥିବାରୁ ପୋଲିସ୍ ସଠିକ୍ ତଦନ୍ତ କରୁ ନାହିଁ। ବୃତ୍ତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରିଛି ପୋଲିସ୍। ଜଣେ ସରକାରୀ ମହିଳା କର୍ମଚାରୀଙ୍କ ଚରିତ୍ର ସଂହାର କରିଛନ୍ତି ଏସପି। ଯେଉଁଥିପାଇଁ ଘଟଣା ପଛରେ ଅନ୍ୟ କିଛି ଥିବା ସନ୍ଦେହ ହେଉଛି। ତେଣୁ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବୁ, ସିବିଆଇ ତଦନ୍ତ ଦାବି କରିବୁ ବୋଲି ପ୍ରଦୀପ୍ତ କହିଛନ୍ତି। 

ସିବିଆଇ ତଦନ୍ତ ହେଉ- ସ୍ମିତାଙ୍କ ସ୍ଵାମୀ

ଅପର ପକ୍ଷରେ ପତ୍ନୀଙ୍କ ହତ୍ୟା ମାମଲାର ସଠିକ୍ ତଦନ୍ତ ହେଉ ନଥିବାରୁ ସ୍ମିତାରାଣୀଙ୍କ ସ୍ଵାମୀ ସିବିଆଇ ତଦନ୍ତ ଦାବି କରିଛନ୍ତି। ତାଙ୍କ ସ୍ଵାମୀ ସୁଶିଲ କହିଛନ୍ତି ଯେ, ଓଡିଶା ପୋଲିସ ଉପରେ ବିଶ୍ଵାସ ନାହିଁ। ଏସପି ଯେମିତି ସ୍ମିତାଙ୍କ ଚରିତ୍ର ସଂହାର କଲେ ଆମକୁ ବହୁତ ବାଧିଛି। ସ୍ମିତାଙ୍କୁ ହତ୍ୟା କରାଯାଇଛି। ତେଣୁ ସିବିଆଇ ତଦନ୍ତ ହେଉ।