Home > ଯୁବ
ବେରୋଜଗାରୀକୁ ନେଇ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା, ପୋଲିସ-କର୍ମୀ ମୁହାଁମୁହିଁ, ୪୦୦ ଗିରଫ
Khabar Odisha:politics-odisha-police-detains-400-BJYM-worker
ଭୁବନେଶ୍ୱର, ଫେବୃୟାରୀ ୦୭ (ଖବର ଓଡ଼ିଶା):

‘‘୧୯ ବର୍ଷର ସରକାର, ଛଡ଼େଇ ନେଲା ରୋଜଗାର’’ ନାରାରେ କମ୍ପିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । କେବେ ସୁଦ୍ଧା ବେକାର ଯୁବ ବର୍ଗଙ୍କୁ ନିଯୁକ୍ତି ମିଳିବ ତାହାର ଆଜି ଜବାବ ମାଗିଛନ୍ତି ସାର୍ଟିଫିକେଟ୍‌ଧାରୀ ହଜାର ହଜାର ବେକାର ଯୁବକ । ଯୁବକ ଯୁବତୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ନବୀନ ସରକାରଙ୍କୁ ଘେରିଛି ବିଜେପି ଯୁବ ମୋର୍ଚ୍ଚା । କିନ୍ତୁ ବିଧାନସଭା ଘେରାଉ କରିବାକୁ ଯିବାବେଳେ ବାଟ ଓଗାଳିଛି ପୋଲିସ । ରାଜଧାନୀ ରାଜରାସ୍ତାରେ ପୁଣି ଥରେ ପୋଲିସ-କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଏହା ସହିତ ପୋଲିସ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଓ ସମ୍ପାଦକଙ୍କ ସମେତ ୪୦୦ କର୍ମୀଙ୍କୁ ଉଠାଇନେଇଛି ପୋଲିସ । 

ବେକାରୀ ସମସ୍ୟାକୁ ନେଇ ଆଜି ବିଜେପି ଯୁବ ମୋର୍ଚ୍ଚାର ହଜାର ହଜାର କର୍ମୀ ରାଜଧାନୀରେ ଗର୍ଜିଛନ୍ତି । ରାଲି କରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ରବିନ୍ଦ୍ର ମଣ୍ଡପ ନିକଟରେ ଅଟକାଇଥିଲେ ସୁରକ୍ଷାକର୍ମୀ । ଫଳରେ ସେଠାରେ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । କର୍ମୀମାନେ ପୋଲିସ ବ୍ୟାରିକେଡ଼୍‌ ଭାଙ୍ଗି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ‘‘୧୯ ବର୍ଷର ସରକାର, ଛଡ଼େଇ ନେଲା ରୋଜଗାର’’ ନାରାରେ କମ୍ପିଥିଲା ରାଜଧାନୀ । ନବୀନ ପଟ୍ଟନାୟକ ଓଡ଼ିଶାର ଯୁବ ବର୍ଗଙ୍କୁ ଧୋକା ଦେଇଛନ୍ତି । ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଅପାରଗ ନବୀନ ସରକାର ବିଫଳ ହୋଇଛନ୍ତି । ଫଳରେ ହଜାର ହଜାର ଯୁବକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ମୋର୍ଚ୍ଚା ଅଭିଯୋଗ କରିଛି । ବିଜେଡ଼ି ପାଇଁ ଓଡ଼ିଶା ତଳି ତଳାନ୍ତ ହୋଇଛି । 

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ବିକ୍ଷୋଭ ପ୍ରଦର୍ଶନ ବେଳେ ସଭାପତି ଟଙ୍କଧର ତ୍ରିପାଠୀ ଓ ସମ୍ପାଦକଙ୍କ ସମେତ ୪୦୦ କର୍ମୀଙ୍କୁ ଉଠାଇନେଇଛି ପୋଲିସ ।